ବର୍ଷା – ପ୍ରେମ ଓ ପ୍ରତାରଣା ର ଏକ ଗାଥା

gray_awesome_coastal_lightning_sea_clouds_rain_hd-wallpaper-1700331

ବର୍ଷା – ପ୍ରେମ ଓ ପ୍ରତାରଣା ର ଏକ ଗାଥା

ଶୁଭେନ୍ଦୁ ମହାନ୍ତି

୦୪/୦୯/୨୦୧୫

ଅପରାହ୍ଣ ୪ ଘଟିକା

କାଲି ରାତି ନିଦାଘ ର ଅଧାମଲା ଜହ୍ନ

ଉଷୁମ୍ ରେଜେଇ ତଳେ କୁହୁଳି କୁହୁଳି,

ଟାପରା ମାରିଲା ସତେ ବିକଟାଳ ରୂପେ,

ଅଧା ପାଉଁଷ ଅଧା ଲୁହ ଛିଟା ବୋଳି !

ସପନ ରାଇଜେ ଯେହ୍ନେ ପାଦ ମୁଁ ରଖିଲି

ଶୁଖିଲା ପତର ସମ ଗଗନେ ଉଡିଲି,

ସବୁଜିମା ଆଶା ଯେତେ କେଣେ ହଜିଗଲା

ଆଖି ତଳେ ଖାଲି ମୋ ର ଘନ ମରୁବାଲି !

ଆକାଶ ର ଛାତି ରେ ମୁଁ ଧିରେ ହାତ ଦେଇ

ଅଝଟ ମେଘ କୁ ନାନାବାୟା ଗୀତ ଗାଇ

ବୁଝେଇଲି ବାର ବାର ତୁନି ହୁଅ ବାବୁ

ସାଗର ମିଳନ ତୋ କପାଳେ ହିଁ ନାହିଁ !

ବିରହୀ ବେଦନା ରେ ସେ ଗରଜି ଉଠିଲା,

ଶାଣିତ ଅସି ତା କଟି ରୁ ଅଚିରେ ଖସିଲା,

ମେଘନାଦେ ଚଉଦିଗ ଯେସନେ କମ୍ପିଲା,

ତା ପ୍ରେମ ର ହାହାକାରେ ମୋ ତନ୍ଦ୍ରା ଭାଜିଲା !

ସପନ କି ସତ ମୁଁ ଯେ ବୁଝି ନ ପାରିଲି

ଆଖି ମଳି ମଳି ଝରକା ର ପାଶେ ଗଲି

ମେଘ ମାଳା ଅବିରତ ବାରିପାତେ ରତ

ଉଙ୍କିମାରି ଯେବେ ମୁଁ ଆକାଶେ ଦେଖିଲି !

ସୁଦୂର ପ୍ରାନ୍ତରେ କେଉଁ ଏକ ତରୁ ଡାଳେ

ଚାତକ ଆଖିରୁ ଦୁଇ ଟୋପା ଲୁହ ଝରେ

ବିତିଛି କେତେ ରାତି ଯା ପ୍ରତୀକ୍ଷା ରେ

ପାଇଛି ତା ରେ ଆଜି, ହାତ ପାଆନ୍ତା ରେ !

କା ଲାଗି ସେ ଜୀବନ ର ଅବାରିତ ଧାରା

କା ଲାଗି ସେ ପ୍ରେମ ର ସନ୍ତକ ନିଆରା

କି ଜାଣେ ଚାତକ ସେ ବର୍ଷା ପୁଣି କାଳେ

କା ଅନ୍ତର ତଳ ର କୋହ ର ପସରା !

ଭଲପାଇ ସାଗରେ ସେ କୃଷ୍ନାଭ ଜୀମୂତ

ରଚିଥିଲା ତା ପ୍ରେମ ର ସୁମଧୁର ଗୀତ

ଜ୍ୟୋତ୍ସ୍ନା ବର ଶଶାଙ୍କ ସେ ଲମ୍ପଟ ପ୍ରବର

ଯାମିନୀ ରେ ଚୋରାଇଲା ଉଦଧି ହିଲ୍ଲୋଳ !

କି ଜାଣେ ଚାତକ ସେ ବିଦଗ୍ଧ ପ୍ରେମିକ

ପ୍ରତାରିତ ମେଘରାଜ ହୃଦ ର ଅନ୍ତିମ ସନ୍ତକ

ଅପହଞ୍ଚ ପ୍ରେମ ର ତା ଶେଷ ହସ୍ତାକ୍ଷର

ବର୍ଷା

ସେ ପୟୋଦ ଅନ୍ତର ର ଅଶ୍ରୁ ଧାର

ବୃଷ୍ଟି ବୃଷ୍ଟି ନେଇ ନାମ ସାଗର ର !

****************

ଶବ୍ଦ ଓ ଅର୍ଥ :

ନିଦାଘ : ଗ୍ରୀଷ୍ମ

ଶାଣିତ ଅସୀ : ବିଜୁଳି କୁ ବୁଝାଉଛି

କଟି : ଅଣ୍ଟା (ମେଘ ର କଟି ରୁ ଶାଣିତ ଅସୀ ଖସିଲା – ବିଜୁଳି ମାରିଲା)

ମେଘନାଦ : ଘଡଘଡି

ଜୀମୂତ, ପୟୋଦ : ମେଘ

ଶଶାଙ୍କ : ଜହ୍ନ

ଉଦଧି : ସାଗର

ହିଲ୍ଲୋଳ : ସାଗର ର ଢେଉ, ଜୁଆର

ଯାମିନୀ : ରାତି

© “And Life Unfolds” and Subhendu Mohanty, 2014. Unauthorized use and/or duplication of this material without express and written permission from this blog’s author and/or owner is strictly prohibited. Excerpts and links may be used, provided that full and clear credit is given to Subhendu Mohanty and “And Life Unfolds” with appropriate and specific direction to the original content.

One thought on “ବର୍ଷା – ପ୍ରେମ ଓ ପ୍ରତାରଣା ର ଏକ ଗାଥା

  1. Abdus salam khan's avatar

    Abdus salam khan

    Hii Suvendu really you are a great poet n above all great heart too. Ausome poetry
    Keep writing.

Leave a comment